ପୂଜାବଜାରରେ ମା’ଙ୍କ ଚିତ୍ର ଥିବା ଶାଢ଼ି

ଭୁବନେଶ୍ୱର: ଏବେ ପାର୍ବଣର ଋତୁ। ବୁଲି ବୁଲି ମା’ଙ୍କ ମେଢ଼ ଦେଖିବା, ନୂଆ ନୂଆ ପୋଷାକ କିଣିବା, ଭଳିକି ଭଳି ଖାଦ୍ୟ ଖାଇବାରେ ଜମିବ ଦଶହରା। ପୁଣି ଏହି ମାହୋଲ୍‌କୁ ଆହୁରି ଆକର୍ଷଣୀୟ କରିବ ଦାଣ୍ଡିଆ ନାଇଟ୍ସ। ତେଣୁ ପୂଜାରେ ଉଭୟ କର୍ମକ୍ଷେତ୍ର ଓ ବାହାର ପରିବେଶରେ ଅନ୍ୟଠାରୁ ଭିନ୍ନ ଦେଖାଯିବା ପାଇଁ ସମକାଳୀନ ଓ କ୍ଲାସିକ୍ ଶୈଳୀର ଉତ୍କୃଷ୍ଟ ଡିଜାଇନ୍‌କୁ ପ୍ରତି ଯୁବ ପିଢ଼ିଙ୍କ ଆକର୍ଷଣ ବଢ଼ୁଛି। ସମ୍ୱଲପୁରୀ ସମେତ ସିଲକ୍‌, କାଞ୍ଜିବରମ୍‌ , ବମକାଇ ଶାଢ଼ିରେ ପଟ୍ଟଚିତ୍ର ଡିଜାଇନକୁ ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି। ପଟ୍ଟଚିତ୍ରରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ, ପାଦଚିହ୍ନ ତଥା ମାତାଙ୍କ ନଅ ରୂପ ଚିତ୍ରିତ ହେଉଛି। କେବଳ ସେତିକି ନୁହେଁ କିଛି ଶାଢ଼ିରେ ମା’ ଦଶଭୂଜାଙ୍କ ଆବାହନ, ମା’ଙ୍କ ମହିଷାମର୍ଦିନୀ ରୂପ ମଧ୍ୟ ସ୍ଥାନ ପାଉଛି।

ଶାଢ଼ି ଓ କପଡ଼ାରେ ଏହି କାମର ମୂଲ୍ୟ ୧୦ ହଜାରରୁ ଆରମ୍ଭ ହୋଇ ପଚାଶ ହଜାର ପର୍ଯ୍ୟନ୍ତ ରହୁଛି। କେବଳ ଶାଢ଼ିରେ ନୁହେଁ ପୋଷାକ ଓ ଲେହେଙ୍ଗାରେ ମଧ୍ୟ ପଟ୍ଟଚିତ୍ରରେ ମାତା ଦୁର୍ଗାଙ୍କ ପ୍ରତିଛବି ଶୋଭା ପାଉଛି। ଉଭୟ ଅନ୍‌ଲାଇନ୍‌ ସମେତ ଚାହିଦା ମୁତାବକ ଡିଜାଇନ ପାଇଁ ଲୋକେ ବୁଟିକମୁହାଁ ହେଉଛନ୍ତି। ‘ରଶ୍ମି ବୁଟିକ୍’ର ରଶ୍ମି ପାଣିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମସ୍ତେ ପାରମ୍ପରିକ ଡ୍ରେସ୍‌ରେ ଆଧୁନିକ ଲୁକ୍‌ ଲୋଡ଼ୁଛନ୍ତି। ସେଥିପାଇଁ ସମ୍ବଲପୁରୀ, କାଞ୍ଜିବରମ, ପାଟ ଆଦି ଶାଢ଼ି, ଚୁଡ଼ିଦାର ଓଢ଼ଣୀ, ଚିକେନକରି ସୁଟ୍‌, ଗାଉନ, ଆଦିରେ ପଟ୍ଟଚିତ୍ରରେ କୃଷ୍ଣଲୀଳା ସମେତ ଗ୍ରାହକଙ୍କ ଚାହିଦା ମୁତାବକ ପୂଜା ପାଇଁ ମା’ ଦୁର୍ଗାଙ୍କ ଆଖି, ମୁଖମଣ୍ଡଳ, ପଶ୍ଚିମବଙ୍ଗର ସିନ୍ଦୁର ଖେଳର ଦୃଶ୍ୟ ବ୍ୟବହାର କରାଯାଉଛି। ବ୍ଲାଉଜ୍‌ର ହାତ ଓ ପଛପାଖ ଓ ଓଢ଼ଣୀରେ ଏହି ଆକର୍ଷଣୀୟ ଚିତ୍ରଣ କରାଯାଉଛି। ଡିଜାଇନ ଅନୁସାରେ ଏଗୁଡ଼ିକର ମୂଲ୍ୟ ଦେଢ଼ ହଜାରରୁ ଆରମ୍ଭ ହେଉଛି। ସାମାଜିକ ଗଣମାଧ୍ୟମରୁ ନୂଆ ନୂଆ ଡିଜାଇନ ଦେଖି ଗ୍ରାହକମାନେ ଅନୁରୂପ ଡିଜାଇନ କରିବାକୁ କହୁଛନ୍ତି। ଏହାବ୍ୟତୀତ କିଛି ପଶ୍ଚିମବଙ୍ଗ, ଗୁଜରାଟ, ରାଜସ୍ଥାନ ପରି ରାଜ୍ୟର ଲେହେଙ୍ଗାର ମଧ୍ୟ ଚାହିଦା ରହିଛି। ସେହିପରି ପାର୍ବଣ ପାଇଁ ମାତାଙ୍କ ମୁଖମଣ୍ଡଳର ଡିଜାଇନ ସହିତ କଉଡ଼ି, ମାଳି ଓ ସ୍ୱସ୍ତିକ ଚିହ୍ନ ଥିବା ହାର ଓ କାନଫୁଲର ଚାହିଦା ବଢ଼ିଛି। ରେଜିନ, କାଠ, ମାଟି ଆଦିରେ ପ୍ରସ୍ତୁତ ଏହି ଅଳଙ୍କାରକୁ ବହୁ ଯୁବ ପିଢ଼ି ଉଭୟ ଅନ୍‌ଲାଇନ୍‌ ଦୋକାନରୁ ଓ ବିଭିନ୍ନ ବଜାରରୁ କ୍ରୟ କରୁଛନ୍ତି।

Leave a Reply

Your email address will not be published. Required fields are marked *