ଯାତ୍ରୀ ବିଶ୍ରାମ ଗୃହରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଁଳା ଛକସ୍ଥିତ ଏକ ଯାତ୍ରୀ ବିଶ୍ରାମ ଗୃହରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ଶବ ବ୍ୟବଚ୍ଛେଦ କରାଯାଇ ଜିଲ୍ଲା ବାରିପଦା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶବଗୃହରେ ରଖାଯାଇଛିl ପରିଚୟ ପାଇଲେ ପୁଲିସକୁ ଖବର ଦେବାକୁ ବୈଶିଙ୍ଗା ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି l

ସ୍ଥାନୀୟ ଲୋକଙ୍କ ଦ୍ଵାରା ପ୍ରଦତ୍ତ ସୂଚନା ଅନୁଯାଇ ଉକ୍ତ ୭୦ବର୍ଷୀୟ ବୃଦ୍ଧ ବିଗତ ୪୦ବର୍ଷ ହେଲାଣି ଅଁଳା ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିଲା l ହେଲେ ସେ ତାର ପରିଚୟ ସଠିକ ଭାବେ କହି ପାରୁନଥିଲା l ତେବେ ତାଙ୍କର ହାବ ଭାବରୁ ସେ ପଡୋଶୀ ପଶ୍ଚିମବଙ୍ଗର ବୋଲି ସନ୍ଦେହ କରାଯାଉଥିଲାl ସେ ପ୍ରତ୍ୟହ କିଛି ଦୋକାନ ଗୃହ ଓ ଆଖପାଖ ଅଞ୍ଚଳରେ ଝାଡୁ ମାରିଦେଉଥିଲେ। ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଖାଇବାକୁ ଓ ପିନ୍ଧିବାକୁ ଦଉଥିଲେl

ବିଗତ ୮-୧୦ ବର୍ଷ ପୁର୍ବରୁ ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ରୋଗାଗ୍ରସ୍ତ ହୋଇ କିଛି କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିଲେl ଫଳରେ ଦିନ ତମାମ ଅଁଳା ବଜାରରେ ଏଣେତେଣେ ବୁଲି ଭିକ୍ଷାବୃତ୍ତି କରି ନିଜ ପେଟକୁ ଦାନା ଦୁଇଟା ଦେଉଥିଲେ ଓ ରାତି ହେଲେ ସ୍ଥାନୀୟ ଯାତ୍ରୀ ବିଶ୍ରାମ ଗୃହରେ ଅଳିଆ ଆବର୍ଜନା ଉପରେ ଶୋଇଯାଉଥିଲେl ହେଲେ ସୋମବାର ରାତିରେ ସେ ଚିର ନିଦ୍ରାରେ ଶୋଇଗଲେ। ସ୍ଥାନୀୟ ଲୋକ ମଙ୍ଗଳବାର ସକାଳୁ ଯେତେ ଡାକିଲେ ବି ଆଉ ଉଠି ନଥିଲେl

ସ୍ଥାନୀୟ ସରପଞ୍ଚ ବୈଶିଙ୍ଗା ପୁଲିସକୁ ଖବର ଦେବା ପରେ ଥାନା ଏଏସଆଇ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁପୂର୍ବକ ଶବ ବ୍ୟବଛେଦ କରାଇ ବାରିପଦା ଡାକ୍ତରଖାନା ଶବଗୃହରେ ମୃତଦେହକୁ ସୁରକ୍ଷିତ ରଖିଛନ୍ତି ଓ ଗଣମାଧ୍ୟମ ଜରିଆରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି କି ଯଦି ମୃତ ବୃଦ୍ଧଙ୍କ ଫଟୋ ଦେଖି କେହି ପରିଚୟ ପାଆନ୍ତି ତେବେ ପୁଲିସକୁ ଜଣାଇବେl ନହେଲେ ୯୬ଘଣ୍ଟା ପରେ ନିଜେ ପୁଲିସ ଶବ ସତ୍କାର କରିବା ନେଇ ସୂଚନା ଦେଇଛି l

Leave a Reply

Your email address will not be published. Required fields are marked *