ସମ୍ଭାଳିବାକୁ ଅସମର୍ଥ ଥିଲେ ମୁସ୍‌ଲିମ୍ ଯୁବକ ଏକାଧିକ ବିବାହ କରିବା ଉଚିତ୍ ନୁହେଁ: କେରଳ ହାଇକୋର୍ଟ

ଆଦିଲ୍ଲୀ: ସମ୍ଭାଳି ପାରୁନ ଯଦି ଏକାଧିକ ବିବାହ କରନାହିଁ। ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି କେରଳ ହାଇକୋର୍ଟ। ଜଣେ ମୁସଲିମ୍ ଯୁବକ ଏକାଧିକ ବିବାହ କରୁଥିବା ବେଳେ ପତ୍ନୀଙ୍କ ଦେଖାଶୁଣା ପାଇଁ ଟଙ୍କା ନଥିବା ଜାଣି କୋର୍ଟ ‌ଏଭଳି କହିଛନ୍ତି। ଜଣେ ମହିଳା ଭରଣପୋଷଣ ପାଇଁ ଦାବି କରି କୋର୍ଟରେ ଆବେଦନ କରିଥିଲେ। ଚଳିବା ପାଇଁ ସ୍ବାମୀ ମାସକୁ ୧୦,୦୦୦ଟଙ୍କା ଦିଅନ୍ତୁ ବୋଲି ଜଣେ ୩୯ବର୍ଷୀୟ ମହିଳା ଆବେଦନ କରିଥିଲେ। ସ୍ବାମୀ ଭିକ୍ଷା ମାଗି ଚଳୁଥିଲେ ବି ଏବେ ତୃତୀୟ ବିବାହ କରିବାକୁ ଧମକ ଦେଉଥିବା ନିଜ ଆବେଦନର ଲେଖିଥିଲେ ମହିଳା। ଏହି ଆବେଦନ ଦେଖିବା ପରେ ସମ୍ଭାଳି ପାରୁନ ଯଦି ଏକାଧିକ ବିବାହ କରନାହିଁ ବୋଲି କହିଥିଲେ ହାଇକୋର୍ଟ।

ସୂଚନା ମୁତାବକ, ଆବେଦନ କରିଥିବା ମହିଳାଜଣଙ୍କ ହେଲେ ମୁସଲିମ୍ ଯୁବକଙ୍କ ଦ୍ବିତୀୟ ପତ୍ନୀ। ପୂର୍ବରୁ ଆବେଦନକାରୀ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନକୁ ଖାରଜ କରିଦେଇ କୋର୍ଟ କହିଥିଲେ ଯେ, ଭିକ୍ଷା ମାଗି ଚଳୁଥିବା ୪୬ବର୍ଷୀୟ ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଏହା ପରେ ମହିଳାଜଣଙ୍କ ହାଇକୋର୍ଟକୁ ଯାଇଥିଲେ।

ଆବେଦନର ଶୁଣାଣି ବେଳେ ଜଷ୍ଟିସ୍ ପିଭି କୁନହିକ୍ରିଷ୍ଣନ୍ ଅନୁଧ୍ୟାନ କରି ଜାଣିପାରିଲେ ଯେ, ପ୍ରତିପକ୍ଷ ଭିକ୍ଷାବୃତ୍ତି ସମେତ ବିଭିନ୍ନ ଉତ୍ସରୁ ୨୫,୦୦୦ ଟଙ୍କା ଆୟ କରୁଛନ୍ତି ଏବଂ ସେଥିପାଇଁ ଆବେଦନକାରୀ ପ୍ରତି ମାସରେ ୧୦,୦୦୦ ଟଙ୍କା ଭରଣପୋଷଣ ପାଇଁ ମାଗୁଛନ୍ତି। ପ୍ରତିପକ୍ଷ ବର୍ତ୍ତମାନ ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ ରହୁଥିବା ଜଣାଯାଇଛି। ଦୃଷ୍ଟିହୀନ ହେବା ସହ ଭିକ୍ଷା ମାଗୁଥିଲେ ବି ପ୍ରତିପକ୍ଷ ତୃତୀୟ ବିବାହ କରିବାକୁ ଚିନ୍ତା କରୁଛନ୍ତି। ଯଦି ସେ ସମ୍ଭାଳିବାକୁ ଅସମର୍ଥ, ତେବେ ସେ ଏକାଧିକ ବିବାହ କରିବା ଉଚିତ୍ ନୁହେଁ।

“ଯଦି ଜଣେ ଦୃଷ୍ଟିହୀନ ବ୍ୟକ୍ତି ଯିଏ ମସଜିଦ ସମ୍ମୁଖରେ ଭିକ୍ଷା ମାଗୁଛନ୍ତି ଏବଂ ମୁସଲିମ ପରମ୍ପରାଗତ ଆଇନର ମୌଳିକ ନୀତି ବିଷୟରେ ଜ୍ଞାନ ନଥାଇ ଗୋଟିଏ ପରେ ଗୋଟିଏ ବିବାହ କରୁଛନ୍ତି, ତେବେ ତାଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ଉଚିତ। ମୁସଲିମ ସମ୍ପ୍ରଦାୟରେ ବହୁବିବାହର ଶିକାର ହୋଇଥିବା ଅସହାୟ ପତ୍ନୀମାନଙ୍କୁ ସୁରକ୍ଷା ଦେବା ରାଷ୍ଟ୍ରର କର୍ତ୍ତବ୍ୟ” ବୋଲି ବିଚାରପତି କହିଛନ୍ତି।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, “ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜ କଲ୍ୟାଣ ବିଭାଗର ସଚିବଙ୍କୁ ଦାୟିତ୍ବ ଦିଆଯାଉ। ବିଭାଗ ଧାର୍ମିକ ନେତାଙ୍କ ସମେତ ଦକ୍ଷ ପରାମର୍ଶଦାତାଙ୍କ ସହାୟତାରେ ପ୍ରତିପକ୍ଷଙ୍କୁ ପରାମର୍ଶ ପ୍ରଦାନ କରନ୍ତୁ।”

Leave a Reply

Your email address will not be published. Required fields are marked *