ସାହସିକ, ଶିକ୍ଷଣୀୟ ଓ ଉପଭୋଗ୍ୟ

ନିର୍ଦେଶକ ସୁଭାଷ କପୁରଙ୍କ ଏକ ବିଶେଷତ୍ବ ହେଲା େସ ତାଙ୍କ ସବୁ ସିନେମାର କାହାଣୀ ନିଜେ ଲେଖନ୍ତି। ହିଟ୍‌ ଆଣ୍ଡ୍‌ ରନ୍ ଓ ମିଛ ଏନ୍‌କାଉଣ୍ଟର୍‌ ପରି ପ୍ରସଙ୍ଗରେ ପ୍ରଥମ ଓ ଦ୍ବିତୀୟ ‘ଜଲି ଏଲ୍‌ଏଲ୍‌ବି’ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ସେ ଏଥର ଜଣେ ଶକ୍ତିଶାଳୀ ଶିଳ୍ପପତିଙ୍କ ଦ୍ବାରା କୃଷକଙ୍କ ଜମି ହଡ଼ପ ପ୍ରସଙ୍ଗକୁ ସିନେମାର କେନ୍ଦ୍ରରେ ରଖିଛନ୍ତି। ଉଭୟ ପ୍ରଥମ ଓ ଦ୍ବିତୀୟ ଚଳଚ୍ଚିତ୍ରର ଓକିଲ ଜଗଦୀଶ ତ୍ୟାଗୀ (ଅରଶଦ ଵାରସୀ) ଓ ଜଗଦୀଶ୍ବର ମିଶ୍ର (ଅକ୍ଷୟ କୁମାର) ଏହି ସିନେମାରେ ଏକାଠି ହୋଇଛନ୍ତି। ପ୍ରଥମ ଦୃଷ୍ଟିରେ ଏହି ସିନେମା ପୁଞ୍ଜିବାଦ ଓ ସମାଜବାଦ ମଧ୍ୟର ସଂଘର୍ଷର କାହାଣୀ ପରି ମନେ ହେଉଥିଲେ ହେଁ ବାସ୍ତବରେ ପରିସଂଖ୍ୟାନ ଆଢୁଆଳରେ ଅବହେଳିତ ହୋଇପଡ଼ିଥିବା ଗଣତନ୍ତ୍ରର ଏକ ସରଳ ବିଚାରକୁ ଏହି ସିନେମା ବୁଝାଇବାର କାମ କରିଛି। ପୂର୍ବ ଦୁଇଟି ସିନେମା ପରି, ଏଥିରେ ମଧ୍ୟ ବ୍ୟଙ୍ଗ ମାଧ୍ୟମରେ ନ୍ୟାୟପାଳିକାକୁ ଆତ୍ମସମୀକ୍ଷାର ଖୋରାକ ଯୋଗାଇବା ସଙ୍ଗେ ସଙ୍ଗେ ସଚ୍ଚୋଟ ବିଚାରପତିମାନେ କିପରି ନ୍ୟାୟପାଳିକା ପ୍ରତି ଜନଗଣଙ୍କ ଆସ୍ଥାକୁ ବଜାୟ ରଖିଛନ୍ତି ତାହାକୁ ପ୍ରଶଂସା କରାଯାଇଛି। ଶକ୍ତିଶାଳୀ କର୍ପୋରେଟ୍‌ ତନ୍ତ୍ର ସମ୍ମୁଖରେ ସାଧାରଣ କୃଷକଟିଏ ଗୌଣ ମନେ ହେଉଥିବା କାଳରେ ‘ଜଲି ଏଲ୍‌ଏଲ୍‌ବି ୩’ ସିନେମାର ପରିକଳ୍ପନା ହିଁ ସବୁଠାରୁ ସାହସିକ ଓ ପ୍ରଶଂସନୀୟ ବିଷୟ। 

ସିନେମାର ଆରମ୍ଭ ହେଉଛି ରାଜସ୍ଥାନର ବିକାନେର ଅନ୍ତର୍ଗତ ଏକ ଗାଁରୁ, ଯେଉଁଠି ଜଣେ ବୃଦ୍ଧ ଚାଷୀଙ୍କ ଜମିକୁ ପୁଞ୍ଜିପତି ହରିଭାଇ ଖୈତାନ (ଗଜରାଜ ରାଓ) ବଳପୂର୍ବକ ହଡ଼ପ କରିନେଉଛନ୍ତି। ସେ ସ୍ଥାନୀୟ କୋର୍ଟରେ ଏହା ବିରୋଧରେ ମାମଲା ହାରିଯିବା ପରେ ଆତ୍ମହତ୍ୟା କରୁଛନ୍ତି। ଏହା ପରେ ଦିଲ୍ଲୀ କୋର୍ଟରେ ଦୁଇ ଜଲି (ଜଗଦୀଶ ଓ ଜଗଦୀଶ୍ବର)ଙ୍କ ମଜାଳିଆ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି। ଆତ୍ମହତ୍ୟା କରିଥିବା ବୃଦ୍ଧଙ୍କ ପତ୍ନୀ ଜାନକୀ (ସୀମା ବିଶ୍ବାସ) ପରଦା ମଧ୍ୟକୁ ପ୍ରବେଶ କରିବା ପରେ ଦୁଇ ଜଲି ବିଚାରପତି ସୁନ୍ଦରଲାଲ ତ୍ରିପାଠୀ (ସୌରଭ ଶୁକ୍ଳା)ଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ମାମଲା ଲଢୁଛନ୍ତି। ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ସ୍ବରୂପ ଦୁଇ ଜଲି ନ୍ୟାୟ ଆଶାୟୀ ଜାନକୀଙ୍କ ବେଦନା ବିଷୟରେ ଜାଣିବା ପରେ ସେମାନଙ୍କ ବିବେକ ଦୋହଲିଯାଉଛି ଏବଂ ସେମାନେ ବିପୁଳ ଅର୍ଥର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ଜାନକୀଙ୍କ ସପକ୍ଷରେ ମାମଲା ଲଢ଼ିବାର ନିଷ୍ପତ୍ତି ନେଉଛନ୍ତି।

ଏହା ପରେ କୋର୍ଟରେ ପୁଞ୍ଜିପତି ହରିଭାଇଙ୍କ ପକ୍ଷରୁ ଲଢୁଛନ୍ତି ଧନିକ ଓକିଲ ବିକ୍ରମ (ରାମ କପୁର)। ଏହି କୋର୍ଟରୁମ୍‌ ଲଢ଼େଇ ଭିତରେ ବିକାଶ, ବୈଷମ୍ୟ, କୃଷି ଆୟ ଭଳି ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗର ଉଭୟ ପକ୍ଷ ଉପସ୍ଥାପିତ ହେଉଛି। ତେବେ ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କିପରି ଆଇନ ଉଲ୍ଲଂଘନ ଓ ଆନ୍ଦୋଳନ ଦମନ କରିବାକୁ ପଛାନ୍ତି ନାହିଁ ତାହାର ବାସ୍ତବିକ ଚିତ୍ର ଏଠାରେ ଉଜାଗର ହୋଇଛି। ଜଣେ ବିଚାରପତି ଆଇନର ‘ଲେଟର୍‌’ (ଆକ୍ଷରିକ ଅର୍ଥ) ଓ ‘ସ୍ପିରିଟ୍‌’ (ନିହିତ ଅର୍ଥ) ମଧ୍ୟରେ ପାର୍ଥକ୍ୟ କଲେ ନ୍ୟାୟ ଦେବା ସହଜ ହୁଏ- ଏହା ଏ ସିନେମାର ସବୁଠାରୁ ସ୍ମରଣୀୟ ବାର୍ତ୍ତା। ଗଣତନ୍ତ୍ରରେ ବ୍ୟକ୍ତିର ନ୍ୟାୟସଂଗତ ଇଚ୍ଛା ଯେ ବିପୁଳ ଅର୍ଥ ଓ କ୍ଷମତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ଶକ୍ତିଶାଳୀ ଢଙ୍ଗରେ ପ୍ରତିଷ୍ଠା କରି ‘ଜଲି ଏଲ୍‌ଏଲ୍‌ବି ୩’ ସମାପ୍ତ ହୋଇଛି।

ଏହି ସିନେମାର ହାସ୍ୟରସ ପୂର୍ବ ଦୁଇ ସିନେମା ସ୍ତରର ନୁହେଁ, ହେଲେ ଉତ୍ତମ ଅଭିନୟ ଓ ସଂଳାପ ଯୋଗୁଁ ଏହା ଯେତିକି ଭାବ ଉଦ୍ରେକକାରୀ ସେତିକି ପ୍ରଭାବଶାଳୀ ହୋଇପାରିଛି। ଏହାକୁ ଦେଖି ସାରିଲା ପରେ ଲାଗିଲା ଏହା ଥିଲା ସିନେମା ହଲ୍‌ରେ କାଟିଥିବା ସବୁଠାରୁ ଉପଭୋଗ୍ୟ ଓ ଶିକ୍ଷଣୀୟ ଅଢ଼େଇ ଘଣ୍ଟା ମଧ୍ୟରୁ ଅନ୍ୟତମ। ନିର୍ଦ୍ଦେଶକ ସୁଭାଷ ଏହି ସିେନମା ଜରିଆରେ ଆମ ଦେଶର କୃଷକ, ନ୍ୟାୟାଳୟ ଓ ଏନ୍‌ଜିଓମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Leave a Reply

Your email address will not be published. Required fields are marked *