ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ଆଗାମୀ ଜନଗଣନା ପାଇଁ ମୋଟା ଅଙ୍କର ଖର୍ଚ୍ଚ ହୋଇପାରେ । ଦ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ରେଜିଷ୍ଟାର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଆରଜିଆଇ୍) ୨୦୨୭ ଜନଗଣନା ପାଇଁ ୧୪,୬୧୮.୯୫ କୋଟି ଟଙ୍କାର ବଜେଟ୍ ଦାବି କରିଛି । ଅର୍ଥାତ୍ ଜନଗଣନା ପାଇଁ ୧୪୬୧୯ କୋଟି ଟଙ୍କାର ଆବଶ୍ୟକ ପଡ଼ିବ । ଏହି ଜନଗଣନା ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ହେବା ସହ ପ୍ରଥମ ଜାତି ଗଣନା ମଧ୍ୟ କରାଯିବ ।
ଆର୍ଡିଆଇ ବ୍ୟୟ ଆର୍ଥିକ କମିଟି (ଇଏଫ୍ସି)ର ଅନୁମୋଦନ ପାଇଁ ଏକ ନୋଟ୍ ଜାରି କରିଥିଲା । ଇଏଫ୍ସି ହେଉଛି ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ କେନ୍ଦ୍ରୀୟ ସଂସ୍ଥା ଯାହା ସରକାରୀ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରେ । ଇଏଫ୍ସିରୁ ଅନୁମୋଦନ ପାଇବା ପରେ, ଗୃହ ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିବ ।
ଘର ଥମ ଥର ପାଇଁ ମୋବାଇଲ୍ ଆପ୍ ଓ ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯିବ । ଏହାଦ୍ୱାରା କେବଳ କାମ ଶୀଘ୍ର ସରିବନି, ବରଂ ସୁରକ୍ଷିତ ରୂପେ ସିଧା ସରକାରଙ୍କ କେନ୍ଦ୍ରୀୟ ସର୍ଭରରେ ପହଞ୍ଚିବ । ସରକାର କହିଛନ୍ତି ଯେ ନାଗରିକ ଚାହିଁଲେ ନିଜେ ନିଜର ଜନଗଣନାର ସୂଚନା ୱେବ୍ ପୋର୍ଟାଲରେ ରେକର୍ଡ କରାଇପାରିବେ । ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ ।
ପ୍ରଥମ ପର୍ଯ୍ୟାୟ ‘ହାଉସ୍ ଲିଷ୍ଟିଂ ଆଣ୍ଡ ହାଉସ୍ ସେନ୍ସସ୍’ ଅର୍ଥାତ୍ ଘରର ସୂଚନା ଓ ଦ୍ୱିତୀୟ ପର୍ଯ୍ୟାୟରେ ‘ପପୁଲେସନ ଏନୁମରେସନ୍’ ଅର୍ଥାତ୍ ଜନସଂଖ୍ୟା ଗଣତି । ଦୁଇଟି ପର୍ଯ୍ୟାୟରେ ଲୋକେ ନିଜ ସୂଚନା ରେକର୍ଡ କରାଇପାରିବେ । ସାରା ଦେଶରେ ଜନଗଣନା ୨୦୨୬ ଓ ୨୦୨୭ରେ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲ୍ ୧ରୁ ଆରମ୍ଭ ହେବ, ଏଥିରେ ଘର ଗଣତି କରାଯିବ । ୨୦୨୭ ଫେବ୍ରୁଆରୀ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ଏଥିରେ ଜନସଂଖ୍ୟା, ଜାତି ଓ ଅନ୍ୟ ତଥ୍ୟ ସଂଗ୍ରହ କରାଯିବ । ଏଥିପାଇଁ ୨୦୨୪ ଜୁନ୍ ୧୬ରେ ସରକାରୀ ଅଧିସୂଚନା ଜାରି କରାଯାଇଥିଲା । ସ୍ୱାଧୀନତା ପରେ ଏହା ଭାରତର ଅଷ୍ଟମ ଓ ମୋଟ ଉପରେ ୧୬ତମ ଜନଗଣନା ହେବ । ଦେଶର ଜନଗଣନା ପାଇଁ ସରକାର ସାରା ଦେଶର ପ୍ରାୟ ୩୪ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି । ଏହି କର୍ମଚାରୀଙ୍କୁ ତିନି ସ୍ତରର ଟ୍ରେନିଂ ଦିଆଯିବ । ପ୍ରଥମେ ରାଷ୍ଟ୍ରୀୟ ଟ୍ରେନର, ମାଷ୍ଟ୍ରର ଟ୍ରେନର ଓ ଶେଷରେ ଫିଲ୍ଡ ଟ୍ରେନର ଏମାନଙ୍କୁ ପ୍ରଶିକ୍ଷଣ ଦେବେ ।